Unknown

 

 

 

 

 

 

 

 

 

 

 

 

ବିଧବା ବିବାହ

ଶ୍ରୀ ଗୋବିନ୍ଦ ରଥ

 

ଶୁଣ ହେ କସଳ ଉତ୍କଳ ସନ୍ତାନ

ବ୍ରାହ୍ମଣ କ୍ଷତ୍ରିୟ ବଇଶ୍ୟ କରଣ

ବିଧବା ରମଣୀ ଯାତନା ପ୍ରଧାନ

ହେଉଛି ଫିଟାଅ ମୁକ୍ତିର ବାଟ ।

ଜ୍ଞାନଚକ୍ଷୁ ଧୀରେ କରି ବିମୋଚନ

ଫିଟାଅ ବିଧବା ଶୃଙ୍ଖଳ ବନ୍ଧନ

ଛାଡ଼ରେ ଅବାଧେ କଠୋର ଶାସନ

ଉଜ୍ଜ୍ୱଳ କରରେ ସମାଜଘାଟ ।

ସ୍ୱାର୍ଥପରତାକୁ ପକାଅ ଦୂରରେ

ସମଜ୍ଞାନ ଭାବ ବିଚାର ମନରେ

ବି ଭେଦ ରହିଛି ନାରୀ ପୁରୁଷରେ

ଈଶ୍ୱର ପ୍ରଦତ୍ତ ସହଜଗୁଣେ ।

ନିଶ୍ଚୟ ଦେଖିବ କିଛଇ ନାହିଁ ତହିଁ

ସମ ତେଜ ଓଜ ରକ୍ତ ମାଂସ ବହି

କାମ କ୍ରୋଧ ଲୋଭ ଅଛି ଦେହେ ରହି

ନାରୀ ପୁରୁଷ ଯେ ଆବଦ୍ଧ ୠଣେ ।

ତେବେ ରେ କିପାଇଁ ପାଶବ ପ୍ରକୃତି

ଚରିତାର୍ଥ କର ନ ମଣ ବିକୃତି

ପ୍ରସ୍ଫୁଟିତ ଫୁଲେ କରାଅ ସଂହତି

ନିର୍ଦ୍ଦୟ ନିଷ୍ଠୁର ଘାତୁକ ଭାବେ ।

କି ଗାଇବି ଆହା ସେ ଦୁଃଖ କାହାଣି

ଯେ ଯାତନା ସହେ ବିଧବା ରମଣୀ

ବାଳୁତ ବିଧବା ଅତ୍ୟନ୍ତ ପାପିନୀ

କାନ୍ଦଇ ତା ହୃଦ ବିଷମ ରାଦେ ।

ଖେଳୁଛି କମଳା ସଖୀବୃନ୍ଦସଙ୍ଗେ

ରାଜମାର୍ଗେ ନାନା କଉତୁକରଙ୍ଗେ

ଆଭରଣ ଅଛି କୋମଳାଙ୍ଗୀ ଅଙ୍ଗେ

ପଡ଼େ ଏ ସମୟେ ନିଷ୍ଠୁର ବାଣୀ ।

ପତିର ବିୟୋଗବାର୍ତ୍ତା ଆଣି ଚର

କରନ୍ତେ ପିତାଙ୍କ ସଦନେ ଗୋଚର

ଦୁଷ୍ଟା ଭଣ୍ଡାରୁଣୀ କମଳାରକର

ଧରି ଆଭରଣ ଆଣଇ ଟାଣି ।

ସରଳା କମଳା ନ ଜାଣଇଁ କିଛି

ଧରେ ଅଳଂକାର ହାତେ ବାଛି ବାଛି

ଡାକେ ଭଣ୍ଡାରୁଣୀ ମୋ ଖଡ଼ୁ ନେଉଛି

ମାତା ସମ୍ବୋଧନେ କୋମଳସ୍ୱରେ ।

ବୋଲ ହେ ପୁରୁଷେ ଏ କି ବ୍ୟବହାର

କମଳା କି ଜାଣେ ସଂସାର ବେଭାର

ତା ଠାରେ କିପାଇଁ ଆଚାର

ଏ ପାପ ଧରିବ କା କଳେବରେ ? ।

ଯଦିବା ଏ ଅଟେ ଈଶ୍ୱର ବାଞ୍ଛିତ

କମଳା କିପାଇଁ ହେଲା ପ୍ରଷ୍ଫୁଟିତ

ମକରନ୍ଦ ପାନେ ହୋଇ ଆକୁଳିତ

ବ୍ୟଥିତ ହୃଦୟେ ବାଟେ ଦିବସ ।

ଏ ନୁହଇ ତେବେ ଜଗତ ନିୟମ

ନାରୀଜାତି ପ୍ରତି ପୁରୁଷ ନିର୍ମମ

ହୋଇ କରିଅଛି ବୈଧବ୍ୟ ଧରମ

କାଳ ଯୋଗେ ଏହା କରିଛି ଗ୍ରାସ ।

ଦେଖ ଦେଖ ଆହା ନିମ୍ନକୂଳ ପ୍ରଥା

ଓଡ଼ିଶା ଦେଶରେ ଉତ୍ତମ ବ୍ୟବସ୍ଥା

ପତି ବିୟୋଗରେ ବିଧବା ସନାଥା

ହୁଅଇ ସକ୍ଷମ ଅବାଧେ ଖରେ ।

ତେବେ ଅଟନ୍ତି ସେ ତେଲି କୁମ୍ଭକାର

ତୁମ୍ଭଠାରୁ ନିଶ୍ଚେ ଅତି ଶ୍ରେଷ୍ଠତର

ସମାଜ ସଂସ୍କାରେ ବିଶେଷ ତତ୍ପର

ଅଛନ୍ତି ଉନ୍ନତି ଶାଖର ଶିରେ ।

କର ଭାଇମାନେ ସେ ଅନୁକରଣ

ବାଳୁତ ବିଧବା ଦ୍ୱିତୀୟ ବରଣ

କରି ଧରୁ ଯାଇଁ ପତିର ଚରଣ

ବୈଧବ୍ୟ ଯାତନା ଏଡ଼ି ଜୀବନେ ।

ଏବେ ସର୍ବେ ଉଠ ହୋଇ ଅଗ୍ରସର

ଆପଦ ବିପଦ ସବୁ ତୁଚ୍ଛକର

କମଳା ବରୁରେ ଆଜି ଅନ୍ୟବର

ଦେଖନ୍ତୁ ଜଗତେ ସକଳଜନେ ।

ଦେଖ ଦୂରଦେଶେ ମହାରାଷ୍ଟ୍ରଗଣ

ପଞ୍ଜାବୀ ବଙ୍ଗାଳୀ ଲକ୍ଷ ୨ ଜଣ

କରନ୍ତି ବିଧବା ଦୁଃଖ ବିମୋଚନ

ଆର୍ଯ୍ୟ ଧର୍ମବାକ୍ୟ ଅନୁସରଣେ ।

ସେହି ଧର୍ମବାକ୍ୟ ଥୋଇ ଅନୁକୂଳ

ଭବିଷ୍ୟତ ପଥେ କରିଣ ସମ୍ବଳ

ବିଧବା ବିବାହ ପ୍ରଚଳେ ଚଞ୍ଚଳ

ହୁଅ ଗୁରୁଭାବ ଧରିଣ ମନେ ।

୧୦

ଉତ୍କଳଜନନୀ ପୁତ୍ରର ରୋଦନ

ଶୁଣି କହୁଛନ୍ତି କରି ସମ୍ବୋଧନ

କେଉଁ ପୁତ୍ର ମୋର କରେରେ କ୍ରନ୍ଦନ

ଉତ୍କଳ ଅରଣ୍ୟେ ପଳାଶ ବନେ ।

କିପାଁ ବାପାଧନ କରୁଛୁ କ୍ରନ୍ଦନ

କେ ଶୁଣିବ ତୁମ୍ଭ କରୁଣ ନିଃସ୍ୱନ

ଘୋର ନିଦ୍ରାବଣେ ଜ୍ୟେଷ୍ଠ ପୁତ୍ରଗଣ

ରାଜା ଜମିଦାର ପଣ୍ଡିତ ଜନେ ।

୧୧

କୁମ୍ଭକର୍ଣ୍ଣ ସଙ୍ଗେ ପ୍ରତିବାଦ କରି

ନ ଉଠନ୍ତି କେବେ ଶଯ୍ୟା ପରିହରି

ନ ଦେଖନ୍ତି କେବେ ସୁମଦ୍ର ଲହରୀ

ଉତ୍କଳ ଭୂମିକ ଯେ କ୍ଷୟ କରେ ।

ଚକ୍ଷୁ ଥାଉଁ ଥାଉଁ ସର୍ବେ ଚକ୍ଷୁହୀନ

ନ ସେବନ୍ତି ଜ୍ଞାନ ତପନ କିରଣ

ତେଣୁ ତାଙ୍କ ମନ ଅତ୍ୟନ୍ତ ମଳିନ

ଅଛନ୍ତି ଅଜ୍ଞାନ ଘୋର ଅନ୍ଧାରେ ।

୧୨

ନ ଦେଖନ୍ତି ବାଳବିଧବା ଯାତନା

ନିଷ୍ଠୁର ହୃଦୟେ ଅଛି କି କରୁଣା

ସରଳା ଅବଳା ପ୍ରତି ସବୁ ମନା

ସାଂସାରିକ ସୁଖ ଯା କିଛି ଯେତେ ।

ବାଳୁତ ବିଧବା କୋମଳା ଅଙ୍ଗନା

କରିବ ତପସ୍ୟା କଠୋର ସାଧନା

ଏ କିସରେ ବାବୁ ବିଧି ବିଡ଼ମ୍ବନା

ଦେଖ ଏ ଜଘନ୍ୟ ନିୟମ କେତେ ।

୧୩

ମୁ ବୋଲରେ ପୁତ୍ର ଶୁଣ ତୁ ନିଶ୍ଚୟ

ବାଳବିଧବାର ସନ୍ତାପରେ କ୍ଷୟ

ହୁଏ ମନୁଷ୍ୟର ପରମାୟୁଚୟ

ଅଜ୍ଞାନ ଅନ୍ଧାର ଉତ୍କଳ ଦେଶ ।

ଯେତେ ଯେତେ ଏଠି ଘଟେ ମନ୍ୱନ୍ତର

ମହାମାରୀ ଆଦି ରୋଗ ଭୟଙ୍କର

ସବୁରେ କାରଣ ଉଗ୍ର ଉଷ୍ଣତର

ଉଠେ ଯେ ନିଶ୍ୱାସ ନାସିକା ପାଶେ ।

୧୪

କେତେ ଭ୍ରୁଣ ହତ୍ୟା ହୁଏ ଦିବା ରାତି

ଏ ପାପ ଧରୁଛି ଏହି ବସୁମତି

ଉତ୍କଳ ଧରିତ୍ରୀ ଉର୍ବରା ଶକତି

କ୍ଷୀଣ ହେଉଅଛି କ୍ଷଣକୁ କ୍ଷଣେ ।

ଏପରି କଳଙ୍କ ଉତ୍କଳ ମସ୍ତକେ

ତେବେ ନ ଦେଖନ୍ତି ବଡ଼ ବଡ଼ ଲୋକେ

ବିଳାସେ ମଜ୍ଜିତ ରହିଛିନ୍ତି ଥୋକେ

ପ୍ରାଣପଣେ ଚେଷ୍ଟା ନ କରେ ଜଣେ ।

୧୫

ଉତ୍କଳ ଜନନୀ କରୁଣ ବଚନ

ଶୁଣି ପୁତ୍ର କୋହ ହୋଇଲା ଦ୍ୱିଗୁଣ

ସମ୍ବୋଧିଣ ଡାକେ ଜ୍ୟେଷ୍ଠ ଭାଇଗଣ

ଉଠ ନିଦ୍ରା ଭଙ୍ଗ କରି ସତ୍ୱରେ ।

ମାତାଙ୍କ ରୋଦନ ଶୁଣରେ କର୍ଣ୍ଣରେ

କି କଳଙ୍କ ଅଛି ଉତ୍କଳ ଭାଗ୍ୟରେ

ଦେଖ ଦେଖ ଶୀଘ୍ର ନ୍ୟାୟ ଦର୍ପଣରେ

ଲିଭାଅ ସେ ଚିହ୍ନ ଅତି ତତ୍ପରେ ।

୧୬

ଯାହାର ଜନନୀ ଦୁଃଖରେ କ୍ରନ୍ଦନ

କରନ୍ତି ସର୍ବଦା ଲୋତକ ବର୍ଷଣ

ତାହାର କାହିଁକି ଜୀବନ ଧାରଣ

ଜୀବନ୍ତେ ମରଣ ଅଟଇ ସାର ।

ପୁରୁଷ ଯେ ଭାବେ କରେ ସନ୍ତରଣ

ସମାଜେ ଯେ ତରୀ କରେ ଆରୋହଣ

ନାରୀ ପକ୍ଷେ କିପାଁ ନିଷେଧ ବିଧାନ

ସେ ନାବେ ନୋହିବ କିପାଇଁ ପାର ।

୧୭

ପୁରୁଷ ପକ୍ଷରେ ସ୍ୱାଧୀନ ନିୟମ

ପତ୍ନୀ ବିୟୋଗରେ ହୁଅଇ ସକ୍ଷମ

ଦ୍ୱିତୀୟ ତୃତୀୟ ବିବାହ କରମ

କରଇ ଆନନ୍ଦେ ସମ୍ଭାର ଭରେ ।

ନାରୀତ ଅଟଇ ଏଡ଼େ ଅଭାଗିନୀ

ଦେଖିଅଛି ତାକୁ କେଡ଼େ ପାତକିନୀ

ସର୍ବଦା ହୋଇଛି ସେ କାରାବାସିନୀ

ପତିର ବୟୋଗେ ଅନ୍ଧାର ଘରେ ।

୧୮

ଏ ନୁହଇ ଭାଇ ବିଧିର ବିଧାନ

କେବଳ ଅତ୍ୟନ୍ତ କଠୋର ଶାସନ

ପୁରୁଷ ପ୍ରକୃତି ବଜ୍ରଠାରୁ ଟାଣ

ଏଣୁ ଘଟିଅଛି ନାରୀ ଦୁର୍ଦ୍ଦଶା ।

ରହିଛି ନିଶ୍ଚୟ ଜଗତ ଭିତରେ

ସମ ଅଧିକାର ନାରୀ ପୁରୁଷରେ

ଅବଳାର ସ୍ୱତ୍ୱ ଲୋପ କରିବାରେ

ଘଟାଉଛି କେଡ଼େ ଏ ଲୋକହସା ।

୧୯

କମଳା ଗୋପନେ କରୁଛି କ୍ରନ୍ଦନ

ଚକ୍ଷୁର ଲୋତକ ବହେ ଘନ ଘନ

ଦେଖ ରେ ଏ ଲୁହ ରକତସମାନ

ଲୁହ ନ କାନ୍ଦି ସେ ଭକତ କାନ୍ଦେ ।

କମଳା ହୃଦୟ ବଡ଼ବାଅନଳ

ପୋଡ଼ୁଛି ଜଳୁଛି ଅତ୍ୟନ୍ତ ପ୍ରଜ୍ୱଳ

ଉଠୁଛି ନିଶ୍ୱାସଧୂମ ଅପ୍ରତୁଳ

ଛଟପଟ ବାଳା ସେ ଜ୍ୱାଳା ଫାନ୍ଦେ ।

୨୦

ଏ ଅଗ୍ନିକି ଶୀଘ୍ର କର ରେ ନିର୍ବାଣ

ଘଟାଇ ଉଚିତ ଉପାୟ ବିଧାନ

ବିଧବା ବିବାହ ବାରି ବରଷଣ

କରି କରି ଶାନ୍ତି ବିଭୂତି ସାର ।

ନୋହିଲେ ଏ ଅଗ୍ନି ସହଜ ବ୍ୟାପାର

ନୁହେ ପୋଡ଼ିବ ଏ ଉତ୍କଳ ଆଗାର

ହେବା ସବୁ ଭାଇ ଅତି ଛାଇ ଖାର

କଳଙ୍କ ଅଙ୍ଗାର ମସ୍ତକ ଭାର ।

୨୧

କେତେ ଅପବାଦ କେତେ ଗର୍ଭପାତ

ନିତ୍ୟ ନିତ୍ୟ ଦେଶେ ହେଉଅଛି ଜାତ

ଏ ସବୁ ମସ୍ତକେ ଘେନୁଛ ନିୟତ

ଚନ୍ଦ୍ର ଦେହେ ଯେହ୍ନେ କଳଙ୍କ ରାଜେ ।

ଛି ଛି ଘୃଣ୍ୟ ଏହା ଅତି ତୁଚ୍ଛକର

ଯେତେ ଶୀଘ୍ର ପାର ତାହା କର ଦୂର

ଭେଦେ ଏ କୁପ୍ରଥା ହୃଦୟ ଭିତର

ବ୍ୟାଧ ବାଣ ମୃଗେ ଯେସନ ବାଜେ ।

୨୨

ସତୀଦାହ ପ୍ରଥା ପୂରବୁ କାଳରେ

ଥିଲା ଏ ବିସ୍ତୃତ ଭାରତ ରାଜ୍ୟରେ

ଦେଖ କି ଯାତନା ଭାବତ ମନରେ

ଶୁଣି ଲୋମବାଳୀ ଟଙ୍କୋରି ଉଠେ ।

ତାହାଠାରୁ ନ୍ୟୁନ ବିଧବା ଯନ୍ତ୍ରଣା

ନୁହେ କେଉଁ ସଭ୍ୟ ଜନପଦେ ଗଣା

ଜାଣି ଶୁଣି ଆମ୍ଭେ ସମସ୍ତହେଁ କଣା

ସକରୁଣ ଜନ ହୃଦୟ ଫୁଟେ ।

୨୩

କର ସ୍ଥାନେ ସ୍ଥାନେ ସଭା ସଂଗଠନ

ବିଧବା ବିବାହ ହେଉ ଆନ୍ଦୋଳନ

ଯାହାର ଯେ ମତ କରନ୍ତୁ ବର୍ଣ୍ଣନ

ଶାସ୍ତ୍ରରେ ଯୁକ୍ତିରେ ଯା କିଛି ଥାଏ ।

ବଳବାନ ହେବ ଯୁକ୍ତିର ପ୍ରମାଣ

ବିଧବା ବିବାହ ଧର୍ମର ବିଧାନ

ବିକଳ୍ପ ପ୍ରମାଣ ନାହିଁ କିଛି ଆନ

ଯୁକ୍ତିଟି ପ୍ରଧାନ ତାକୁ କି ପାଏ ? ।

୨୪

ଯେ ଶାସ୍ତ୍ର ବୋଲିବ ବିଧବା ବିବାହ

ଅସଙ୍ଗତ କଥା କାହାକୁ ନ କହ

ମୁ ବୋଲେ ସେ ଶାସ୍ତ୍ର ଘରେ ବାନ୍ଧି ଥାଅ

ଭସାଇ ଦିଅ ବା ମହାନଦିରେ ।

ସେ ଶାସ୍ତ୍ର ଏଣିକି ଚଳିବାର ଭାର

ନ୍ୟାୟ ଶାସ୍ତ୍ର ଏକା ଜଗତରେ ସାର

ସ୍ୱଭାବେ ଯେ ଭାବ ହୁଏ ଅବତାର

ତା ପକ୍ଷେ କା ଜୟ ହେଲେ ବାଦିରେ ।

୨୫

ବିଧବା ବିବାହ ଭାରତ ରାଜ୍ୟରେ

ନ ଥିଲା କି ଭାଈ ପୁରୁବ କାଳରେ

ଶୁଣି ନାହିଁ କିହେ ପୁରାଣ ଶାସ୍ତ୍ରରେ

ତାରା ମନ୍ଦୋଦରୀ ରାଣିର କଥା ।

ଦେଖ ଶଚୀ ଦେବୀ ଦେବତାର ରାଣୀ

ଏକ ଇନ୍ଦ୍ର ଗଲେ ଅନ୍ୟ ଇନ୍ଦ୍ର ପାଣି

ଗ୍ରହଣ କରନ୍ତି ଦୋଷ ନାହିଁ ଜାଣି

ତୁମ୍ଭର କାହିଁକି ଏମନ୍ତ ପ୍ରଥାମ ।

୨୬

କମଳାର ପିତା ପର୍ଷୁରାମ ଦାସ

ଦେଶର କୁପ୍ରଥା କରିବ ବିନାଶ

ଦୃଢବ୍ରତ ହୋଇ କଲାକ ସାହସ

ଦ୍ୱିତୀୟ ବରଣ କମଳା ପାଇଁ ।

ବୋଲେ ଏ ଯାତନା ସହ୍ୟ ନୁହେ ଆଉ

ଯେ ଯାହା ବୋଲନ୍ତୁ ଯାହା କିଛି ଥାଉ

ଜ୍ଞାତିରେ ଯେ ଅବା ଅପମାନ ପାଉ

ମୋହର ତହିଁକି ଭ୍ରୂକ୍ଷେପ ନାହିଁ ।

୨୭

ଜୟ ହେଲେ ହେବି ପର୍ଷୁରାମ ବୀର

ନୋହିଲେ ଭିକ୍ଷୁକ ବ୍ରାହ୍ମଶହିଁ ସ୍ଥିର

ଲଙ୍ଗିବି ବିପଦ ସମୁଦ୍ରର ତୀର

ଅଗ୍ନିରେ ପଶିବ କର୍ତ୍ତବ୍ୟ ପାଇଁ ।

ମେଦିନୀ ବକ୍ଷରେ କେତେ ସାଧୁଜନ

ଦେଶ ପାଇଁ ଦେଲେ ନିଜର ଜୀବନ

ଏ ଛାର ଜୀବନେ କିସ ପ୍ରୟୋଜନ

ଭୋଜନ ଶୟନେ ନିଯୁକ୍ତ ଥାଇଁ ।

୨୮

ଏତେ ଭାବି ଦାସ ପ୍ରତିଜ୍ଞା ବନ୍ଦିନ

କରି କରୁଛନ୍ତି ପାତ୍ର ଅନ୍ୱେଷଣ

ବୋଲେ ଭାଇ ସବୁ ଉତ୍କଳ ନନ୍ଦନ

ଯୋଗ ଦିଅ ଯାଇ ଦାସଙ୍କ ସଙ୍ଗେ ।

ଯେତେରେ ବିଧବା କୁମାରୀ ଭଗିନୀ

ଅଛନ୍ତି ସର୍ବଦା ପିଞ୍ଜର ବାସିନୀ

ଧରନ୍ତୁ ସକଳେ ହୋଇ ଆହ୍ଲାଦିନୀ

ମସ୍ତକେ ମୁକୁଟ ଭୂଷଣ ଅଙ୍ଗେ ।

୨୯

ନାଚନ୍ତୁ ଆମରେ ହାତେ ବୀଣାଧରି

ବିଧବା ବିବାହ ଉଚ୍ଚସ୍ୱର କରି

ଉଠାଇ ଆନନ୍ଦ ସାଗର ଲହରୀ

ବିଧବା ବିବାହ ମିଳାଇ ତାନ ।

ହାତେ ତାଳଧରି ନାଚନ୍ତୁ ସୁନ୍ଦରୀ

ଦେବରାଜରାଣୀ ଅପ୍ସରା କିନ୍ନର

ଲତା ଦୋଳାସନେ ବନ ରାଜ୍ୟେଶ୍ୱରୀ

ମଧୁର ସଙ୍ଗୀତ କରିଣ ଗାନ ।

୩୦

ଦେଖନ୍ତୁ ସ୍ୱର୍ଗରେ ମୁନି ପରାଶର

କପିଲ ଲୋମଶ ବଶିଷ୍ଠ ପ୍ରବର

ପ୍ରକାଶି ଅନ୍ତରେ ଆନନ୍ଦ ଅପାର

ପୁଷ୍ପ ବୃଷ୍ଟି କରି ଉତ୍କଳ ଦେଶେ ।

ଉଠ ଭାଇ ଏବେ କର ଜାଗରଣ

ବ୍ରାହ୍ମଣ କ୍ଷତ୍ରିୟ ବଇଶ୍ୟ କରଣ

ବିଧବା ଯନ୍ତ୍ରଣା ହେଉ ବିମୋଚନ

ସଭ୍ୟ ଜଗତର ସମାଜ ପାଶେ ।